ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଗାମୀ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ସମାପନ ଉତ୍ସବରେ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଚଳିତ ବର୍ଷ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରିଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇ ପ୍ରବାସୀ ଭାରତୀୟଙ୍କ ମାନ ବଢାଇଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଚଳିତ ବର୍ଷ ପ୍ରବାସୀ ଭାରତୀୟ ସମ୍ମାନ ପାଇଁ ୨୭ ବିଭୂତିଙ୍କୁ ଚୟନ କରାଯାଇଛି । ବିଦେଶରେ ରହୁଥିବା ଭାରତୀଙ୍କୁ ଦିଆଯାଉଥିବା ଏହି ସର୍ବୋଚ୍ଚ ସମ୍ମାନ ପାଇଁ ଚୟନ ହୋଇଥିବା ଏହି ବିଶିଷ୍ଟ ବ୍ୟକ୍ତିମାନେ ୨୩ ଦେଶରେ ରୁହନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ ସହ ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ।
ଏହି ବିଭୂତିମାନଙ୍କ ମଧ୍ୟରେ ବ୍ରିଟେନର ବେରୋନେସ ଉଷା କୁମାରୀ ପରାଶର (ରାଜନୀତି), ଆମେରିକାରେ ଡାକ୍ତର ଶର୍ମିଲା ଫୋର୍ଡ (ସାମୁହିକ ସେବା) ସାମିଲ ଅଛନ୍ତି । କିଛି ସଂସ୍ଥାକୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯିବ । ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର (୨୦୨୫) ପାଇଁ ନାମଗୁଡ଼ିକର ସୁପାରିଶ ଜ୍ୟୁରି-କମ୍-ଆୱାର୍ଡ କମିଟି ଦ୍ୱାରା କରାଯାଇଥିଲା ।
ବିଦେଶ ମନ୍ତ୍ରଣାଳୟ ଏକ ବୟାନରେ କହିଛି, 'ଏହି ପୁରସ୍କାର ସେହି ବ୍ୟକ୍ତିଙ୍କୁ ଦିଆଯାଏ, ଯେଉଁମାନେ ଭାରତୀୟ ବଂଶୋଦ୍ଭବ ହୋଇଥିବେ କିମ୍ୱା ସେହି ସଂଗଠନକୁ ଦିଆଯାଏ ଯାହା ପ୍ରବାସୀ ଭାରତୀୟଙ୍କୁ ଦ୍ୱାରା ପରିଚାଳିତ ହୋଇଥାଏ ।' ମନ୍ତ୍ରଣାଳୟ କହିଛି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ଅଧିବେଶନରେ ପ୍ରଧାନ କରାଯିବ ।
ଉଲ୍ଲେଖଯୋଗ୍ୟ, ୨୦୨୫ ଜାନୁଆରୀ ୮ରୁ ୧୦ ଯାଏ ଭୁବନେଶ୍ୱରର ଜନତା ମୈଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ର କ୍ୟାବିନେଟର ଅନ୍ୟ ସଦସ୍ୟ ।
ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ଦ୍ୱିତୀୟ ଦିନରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ତୃତୀୟ ଦିବସରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍ର ଡିଜିଟାଲ ଫ୍ଲାଗଅପ୍ କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।